ଭୁବନେଶ୍ବର : ସକାଳୁ ସକାଳୁ ମେଘାଚ୍ଛନ୍ନ ଆକାଶ ରାଜ୍ୟବାସୀଙ୍କୁ ଆମୋଦିତ କରିଥିଲା। ଠାଏ ଠାଏ ଝିପିଝିପି ବର୍ଷା ଗ୍ରୀଷ୍ମର ତିକ୍ତ ଅନୁଭୂତିକୁ ଭୁଲାଇ ଦେଇଥିଲା। ଶୁକ୍ରବାର ଦିନ ପୂରା ଉପକୂଳରେ ହାଲୁକା ବର୍ଷା ହୋଇଥିବା ବେଳେ ପୁରୀରେ ରାଜ୍ୟର ସର୍ବାଧିକ ୨୮.୨ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି। କୋରାପୁଟ, ଗଜପତି, ଗଞ୍ଜାମ, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର କିଛି କିଛି ସ୍ଥାନରେ ବି କୁଆପଥର ବର୍ଷା ହୋଇଥିଲା। ଆସନ୍ତା ୨ ତାରିଖ ଯାଏ ରାଜ୍ୟରେ ଏହିଭଳି କାଳବୈଶାଖୀ ବର୍ଷା ଜାରି ରହିବ।

ଆଜି(ଶନିବାର) ବର୍ଷାର ପ୍ରକୋପ ଟିକେ କମିବ। ସମଗ୍ର ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ୩୦ ତାରିଖ ଦିନ କାଳବୈଶାଖୀର ପ୍ରଭାବ ଅଧିକ ରହିବ। ନବରଙ୍ଗପୁରଠାରୁ ଆରମ୍ଭ କରି ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ୯ ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏଥିସହ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ଏଣୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ୯ଜିଲ୍ଲା ପାଇଁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ରାଜ୍ୟର ଅବଶିଷ୍ଟ ଜିଲ୍ଲାରେ ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବର୍ଷା ‌ହେବ।

ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ୧ ଓ ୨ ତାରିଖରେ ମଧ୍ୟ ରାଜ୍ୟରେ କାଳବୈଶାଖୀ ଯୋଗୁଁ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମିରେ ପହଞ୍ଚିବ। ରାଜ୍ୟର ପ୍ରାୟ ସ୍ଥାନରେ ଅପରାହ୍‌ଣ ଆଡ଼କୁ ବର୍ଷା ହୋଇପା‌ରେ। ତେଣୁ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଶନିବାର ଦିନ ଭୁବନେଶ୍ବର ଓ ଆଖପାଖ ଅଞ୍ଚଳରେ ପାଗ ଥଣ୍ଡା ରହିବ। ଆକାଶ ଆଂଶିକ ମେଘୁଆ ରହିବା ସହ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ଦିନର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରି ମଧ୍ୟରେ ରହିବ।

Leave a Reply

Your email address will not be published. Required fields are marked *

Follow by Email
Twitter
Instagram
Telegram
WhatsApp
error: Content is protected !!