ଏନଟିପିସି ତାଳଚେର କଣିହାଁ ଠାରେ ଚାଲିଥିବା ବାଳିକା ସଶକ୍ତିକରଣ ମିଶନ୍ (ଜିଇଏମ୍) କର୍ମଶାଳାକୁ ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କୁ ସ୍ୱାଗତ କରିଥିଲେ । ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମଙ୍କ ସମେତ ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଲ ପ୍ରମୁଖ ଏହି କର୍ମଶାଳାକୁ ପରିଦର୍ଶନ କରିଥିଲେ । ଏହି ଅବସରରେ ଅତିଥିଗଣ ପ୍ରତିଭାଗୀଙ୍କ ସହ ଆଲୋଚନା କରିବା ସହିତ ଏନଟିପିସି ତାଳଚେର କଣିହାଁ ପକ୍ଷରୁ ଆୟୋଜିତ ହୋଇଥିବା ଜିଇଏମ୍ କର୍ମଶାଳାର ସଦୁପଯୋଗ କରି ଜୀବନର ଉଚ୍ଚାଭିଳାଷୀ ଲକ୍ଷ୍ୟ ପୂରଣ କରିବାକୁ ପରାମର୍ଶ ଦେଇଥିଲେ । ଛାତ୍ରୀମାନଙ୍କୁ ଏକ ଶିକ୍ଷଣ ପ୍ଲାଟଫର୍ମ ଯୋଗାଇବା ପାଇଁ ସେମାନେ ଏନଟିପିସିର ପଦକ୍ଷେପକୁ ପ୍ରଶଂସା କରିଥିଲେ, ଯାହା ଭବିଷ୍ୟତରେ ଏହି ଛୋଟ ଜିଇଏମ ମାନଙ୍କ ଜୀବନରେ ଏକ ବଡ ପରିବର୍ତନ ଆଣିପାରେ । ପ୍ରାରମ୍ଭରେ ଏନଟିପିସି ତାଳଚେର କଣିହାଁ ପ୍ଲାଣ୍ଟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କେ.ଏସ. ସୁନ୍ଦରମ୍ ଅତିଥିଗଣଙ୍କୁ ବାଳିକା ସଶକ୍ତିକରଣ ମିଶନ୍ ର ଉଦ୍ଦେଶ୍ୟ ଓ ଅଭିପ୍ରାୟ ସମ୍ପର୍କରେ ସୂଚନା ଦେଇଥିଲେ।
