ଗବେଷଣା ପାଇଁ ପୁରସ୍କୃତ ହେଲେ ରାଉରକେଲା ଝିଅ
ରାଉରକେଲା: ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ରାଉରକେଲାର ଝିଅ ଅନ୍ନପୂର୍ଣ୍ଣା ପ୍ରଧାନ ପୁରସ୍କୃତ ହୋଇଛନ୍ତି। ନିକଟ ଅତିତରେ “ବିଶ୍ୱ ମହିଳା ନେତୃତ୍ୱ କଂଗ୍ରେସ” ଆୟୋଜିତ “ଓଡିଶା ମହିଳା ନେତୃତ୍ୱ ପୁରସ୍କାର’’ ଲାଭ କରିଛନ୍ତି। କୃତ୍ରିମ ବୁଦ୍ଧିମତ୍ତା, ୫-ଜି, ୬-ଜି କମ୍ୟୁନିକେସନ ଓ ବିଭିନ୍ନ ସାମାଜିକ ସେବା କାର୍ଯ୍ୟକଳାପରେ ଗବେଷଣା ପାଇଁ ଡା. ତାରିତା ଶଙ୍କର ପୁରସ୍କାର ପାଇଛନ୍ତି। ମୁଖ୍ୟଅତିଥି ବନ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତ ରାଜ ଏବଂ ପାନୀୟ ଜଳ, ସୂଚନା ଏବଂ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦିପ ଅମାତଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ।
ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍ଆଇଟି)ର ପିଏଚ୍ଡି ଛାତ୍ରୀ ଅନ୍ନପୂର୍ଣ୍ଣା ହେଉଛନ୍ତି ଅବସରପ୍ରାପ୍ତ ଆର୍ଏସ୍ପି କର୍ମଚାରୀ ବସନ୍ତ ପ୍ରଧାନ ଓ ବୀଣାପାଣି ପ୍ରଧାନଙ୍କ ଝିଅ। ସେ ପିଲାଟି ଦିନରୁ ଏକାଧିକ କ୍ଷେତ୍ରରେ ପୁରସ୍କୃତ ହୋଇଛନ୍ତି। ସେ ହାଇସ୍କୁଲ ବୋର୍ଡ୍ ପରୀକ୍ଷାରେ ସୁନ୍ଦରଗଡ଼ ଜିଲ୍ଲା ଟପ୍ପର ହେବାସହ ଗଣିତ ଅଲିମ୍ପିଆଡ୍ ଜିତି ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଥିଲେ। ଏହାସହ ରାଜ୍ୟ ସରକାରଙ୍କ ବିଭିନ୍ନ ଛାତ୍ରବୃତ୍ତି ମଧ୍ୟ ପାଇଥିଲେ। ସେ ହେଉଛନ୍ତି ଜଣେ ସୁବକ୍ତା ହେବାସହ ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ମଞ୍ଚରେ ନିଜର ବକ୍ତବ୍ୟ ରଖି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଏହି ସଫଳତା ପାଇଁ ଅନ୍ନପୂର୍ଣ୍ଣା ସମସ୍ତ ପରିବାର ସଦସ୍ୟଙ୍କ ସମେତ ପିଏଚ୍ଡି ସୁପରାଇଜର୍ ଏନ୍ଆଇଟି ଇଲେକ୍ଟ୍ରିକାଲ ଇଞ୍ଜିନିଅରିଂ ବିଭାଗର ପ୍ରଫେସର ସୁସ୍ମିତା ଦାସଙ୍କୁ ଶ୍ରେୟ ଦେଇଛନ୍ତି।
