ଅନୁଗୋଳ, ୦୩.୦୬ : ଅନୁଗୋଳ ଷ୍ଟାଡିୟମ୍ ପରିସରରେ ଓଡ଼ିଶା କ୍ରୀଡ଼ା ମହାକୁମ୍ଭ ଅନ୍ତର୍ଗତ ସିଏମ୍ ଟ୍ରଫି ଜୋନାଲ ସ୍ତରୀୟ ଖୋ-ଖୋ ପ୍ରତିଯୋଗିତା–୨୦୨୬ର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ନବରଙ୍ଗପୁର, ରାୟଗଡା, ଢେଙ୍କାନାଳ ଏବଂ ଆୟୋଜକ ଅନୁଗୋଳ ଜିଲ୍ଲା ସମେତ ମୋଟ ଆଠଟି ଜିଲ୍ଲାର ଦଳ ଅଂଶଗ୍ରହଣ କରିଛନ୍ତି।

ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଅନୁଗୋଳ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ ଯୋଗଦେଇ କ୍ରୀଡ଼ାର ବିକାଶ ଏବଂ ଯୁବପିଢ଼ୀଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ ସୃଷ୍ଟି ଦିଗରେ ଏପରି ଆୟୋଜନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଆଞ୍ଚଳିକ ପରିବହନ ଅଧିକାରୀ (RTO) ଶ୍ରୀ ସମ୍ବିତ କୁମାର, ଡେପୁଟି କଲେକ୍ଟର ଶ୍ରୀମତୀ ମଧୁସ୍ମିତା ବିଶି, ଅନୁଗୋଳ ଜିଲ୍ଲା ଆଥଲେଟିକ୍ ଆସୋସିଏସନର ଉପସଭାପତି ଶ୍ରୀ ଏମ୍. ମହାକୁଡ, ରାଜ୍ୟ ପର୍ଯ୍ୟବେକ୍ଷକ ଶ୍ରୀ ଭୁବନ ମୋହନ ଦାସ ଏବଂ ଜିଲ୍ଲା ଆଥଲେଟିକ୍ ଆସୋସିଏସନର କୋଷାଧ୍ୟକ୍ଷ ଶ୍ରୀ କିଶୋର କର ଉପସ୍ଥିତ ରହିଥିଲେ।

କାର୍ଯ୍ୟକ୍ରମ ଆରମ୍ଭରେ ବିଭିନ୍ନ ଜିଲ୍ଲାର ଖେଳାଳିମାନେ ନିଜ ନିଜ ଜିଲ୍ଲାର ପତାକା ବହନ କରି ଆକର୍ଷଣୀୟ ମାର୍ଚ୍ଚ ପାଷ୍ଟ ପ୍ରଦର୍ଶନ କରିଥିଲେ। ଖେଳାଳିମାନଙ୍କର ଶୃଙ୍ଖଳିତ ପଦକ୍ଷେପ, ଦଳୀୟ ଏକତା ଏବଂ କ୍ରୀଡ଼ା ସ୍ପୃହା ଉପସ୍ଥିତ ଅତିଥି ଓ ଦର୍ଶକମାନଙ୍କ ମନକୁ ଆକୃଷ୍ଟ କରିଥିଲା। ଅନୁଗୋଳ ପୋଲିସ ଟ୍ରେନିଂ କଲେଜର ବ୍ୟାଣ୍ଡ ଦଳର ସୁମଧୁର ବାଦ୍ୟବାଦନ ମାର୍ଚ୍ଚ ପାଷ୍ଟକୁ ଅଧିକ ଗରିମାମୟ କରିଥିଲା।

ଏହି ଜୋନାଲ ସ୍ତରୀୟ ପ୍ରତିଯୋଗିତାରେ ପ୍ରାୟ ତିନିଶହରୁ ଅଧିକ ଖେଳାଳି, ପ୍ରଶିକ୍ଷକ, ଅଫିସିଆଲ ଏବଂ କ୍ରୀଡ଼ା ପରିଚାଳନା ସହ ଜଡିତ ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିଛନ୍ତି। ଖୋ-ଖୋ ଖେଳ ମାଧ୍ୟମରେ ଯୁବ ପ୍ରତିଭାଙ୍କ ବିକାଶ ଓ ଗ୍ରାମାଞ୍ଚଳର କ୍ରୀଡ଼ାବିତମାନଙ୍କୁ ଏକ ବୃହତ୍ ମଞ୍ଚ ପ୍ରଦାନ କରିବା ଏହି ଆୟୋଜନର ମୂଳ ଲକ୍ଷ୍ୟ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।

ପରିଶେଷରେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅକ୍ଷୟ କୁମାର ସିଠ ସମସ୍ତ ଅତିଥି, ଖେଳାଳି, କ୍ରୀଡ଼ା ଅଧିକାରୀ ଓ ଆୟୋଜକମାନଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମ ସମାପ୍ତ କରିଥିଲେ।

Leave a Reply

Your email address will not be published. Required fields are marked *

Follow by Email
Twitter
Instagram
Telegram
WhatsApp
error: Content is protected !!